Press Images

  ପ୍ରକାଶିତ :   30-Apr-2024

ବିଜେଡିରେ ଯୋଗଦେଲେ ମୋହନା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ବାସନ୍ତୀ ମଲ୍ଲିକଙ୍କ ଯୋଗଦାନ ଫଳରେ ବିଶେଷକରି ମୋହନା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡିରେ ସାମିଲ୍ ହୋଇଥିବା ବାସନ୍ତୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଁ ୨୦୧୪ରୁ ୨୦୧୯ ବିଧାୟିକା ଥିଲାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶରେ ଲୋକମାନଙ୍କର ସହିତ ସମସ୍ତ ପ୍ରକାର ଜନମଙ୍ଗଳ ଯୋଜନାରେ ନିଜକୁ ସାମିଲ କରିଥିଲି । କିନ୍ତୁ ୨୦୧୯ ନିର୍ବାଚନ ବେଳେ ଗୋପାଳପୁରର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ହେଲା ପରେ ଚକ୍ରାନ୍ତ କରି ମୋର ଟିକେଟ କାଟିଥିଲେ । ଯାହା ଫଳରେ ଦଳକୁ ମଧ୍ୟ ପରାଜୟ ବରଣ କରିବାକୁ ପଡ଼ିଲା । ଏଥିରେ ମର୍ମାହତ ହୋଇ ବିଜେପିରେ ଯୋଗଦାନ କରିଥିଲି । କିନ୍ତୁ ଯେତେବେଳେ ଦେଖିଲି ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ବ୍ୟକ୍ତି ଯିଏ ଚାକିରି କରାଇ ଦେବା ନାଁରେ ସାଧାରଣ ଲୋକଙ୍କୁ ଠକି ଟଙ୍କା ଖାଇଥିଲେ, ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିଲେ, କୋଭିଡ୍ ମହାମାରୀ ବେଳେ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ । ସେହିଭଳି ଜନବିରୋଧୀ ବ୍ୟକ୍ତିଙ୍କୁ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଟିକେଟ ଦେବାରୁ ମୁଁ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଲି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Other Press Release